ନୂଆଦିଲ୍ଲୀ,୨୦।୧୨: ଶାସକ ଭାଜପାକୁ ନୂଆ ବର୍ଷରେ ମିଳିବ ନୂଆ ଅଧ୍ୟକ୍ଷ। ଜାନୁଆରୀ ୧୫ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଶେଷ ହେବ। ଏହାପରେ ଜାନୁଆରୀ ୨୦ ସୁଦ୍ଧା ଭାଜପାର ନୂତନ ସଭାପତି ମଧ୍ୟ ଘୋଷଣା କରାଯାଇପାରେ। ତେବେ ଜାନୁଆରୀ ୧୫ ସୁଦ୍ଧା ଜିଲାସ୍ତରରେ ନିର୍ବାଚନରେ ଶେଷ ହେବ। ଏହାପରେ ଜାନୁଆରୀ ୧୭-୧୮ ସୁଦ୍ଧା ୫୦% ରାଜ୍ୟ ସଭାପତି ନିର୍ବାଚିତ ହେବେ। ଏଥିସହ ଅଧ୍ୟକ୍ଷ ପଦ ଲାଗି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି।
ତିନି ଦିନ ପୂର୍ବେ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ନୂଆଦିଲ୍ଲୀ ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ଦଳର ସାଧାରଣ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ସେ ବିଭିନ୍ନ ରାଜ୍ୟରେ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ। ଡିସେମ୍ବର ୩୦ରେ ଏ ବାବଦରେ ଏକ ଜାତୀୟ କର୍ମଶାଳା ଆୟୋଜନ କରାଯାଇପାରେ ବୋଲି କୁହାଯାଉଛି।
ଭାଜପାର ସମ୍ବିଧାନ କ’ଣ କହୁଛି?
ଭାରତୀୟ ଜନତା ପାର୍ଟିର ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅତି କମ୍ରେ ରାଜ୍ୟ ୟୁନିଟରେ ସାଂଗଠନିକ ନିର୍ବାଚନ ସମାପ୍ତ ହେବା ଉଚିତ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୩ ବର୍ଷ ଅଟେ। ତେବେ ୨୦୨୪ରେ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେ ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।
ଫେବୃଆରୀ ୨୦୨୦ରେ ନଡ୍ଡା ଭାଜପାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ସେ ଦଳର ଏକାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜାନୁଆରୀ ୨୦୨୩ ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅମିତ ଶାହା କହିଥିଲେ ଯେ ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀଙ୍କ ସର୍ବସମ୍ମତି କ୍ରମେ ଦଳର ଅଧ୍ୟକ୍ଷ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନଡ୍ଡା ଭାଜପା ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି।
ଏବେ ଭାଜପାର ନୂତନ ଅଧ୍ୟକ୍ଷ ସରକାର କିମ୍ବା ସଂଗଠନର କୌଣସି ସଦସ୍ୟ ହୋଇପାରନ୍ତି। ଏଯାବତ କାହାର ନାମ ସାମ୍ନାକୁ ଆସିନାହିଁ। ଆଗାମୀ କିଛି ଦିନରେ ସ୍ଥିତି ସ୍ପଷ୍ଟ ହୋଇପାରେ।
Author: VS NEWS DESK
pradeep blr