ଛତ୍ରପତି ସମ୍ଭାଜିନଗର, ୧୭।୩ :ମୋଗଲ ସମ୍ରାଟ୍ ଔରଙ୍ଗଜେବଙ୍କ କବରକୁ ନେଇ ମହାରାଷ୍ଟ୍ରରେ ବିବାଦ ଦେଖାଦେଇଛି। ଔରଙ୍ଗାବାଦ ଜିଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ ପ୍ରମୁଖ ହିନ୍ଦୁ ସଙ୍ଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ଓ ବଜରଙ୍ଗ ଦଳ ରାଜ୍ୟର ଭାଜପା ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀରେ କୁହାଯାଇଛି, ଯଦି ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପ୍ରକ୍ରିୟାରେ ବିଳମ୍ବ ଘଟେ ତେବେ ବାବ୍ରୀ ମସ୍ଜିଦ ଧ୍ୱଂସ ଘଟଣା ପରି ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ମଧ୍ୟ ଭଙ୍ଗାଯିବ। ହିନ୍ଦୁତ୍ୱବାଦୀ ସଙ୍ଗଠନର ଚେତାବନୀ ପରେ ଔରଙ୍ଗଜେବଙ୍କ କବରସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଷ୍ଟେଟ୍ ରିଜର୍ଭ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି କବର ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଉ ନାହିଁ।
ଭିଏଚ୍ପିର ମହାରାଷ୍ଟ୍ର-ଗୋଆ ଆଞ୍ଚଳିକ ମୁଖ୍ୟ ଗୋବିନ୍ଦ ଶେଣ୍ଡେ କହିଛନ୍ତି, ସମ୍ପ୍ରତି କିଛି ଲୋକ ଔରଙ୍ଗଜେବଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ଔରଙ୍ଗଜେବ ଦେଶରେ ବହୁ ଅତ୍ୟାଚାର କରିଥିଲେ। ସେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିବା ସହ ତାଙ୍କ ବାପାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏପରି ନିଷ୍ଠୁର ବ୍ୟକ୍ତିଙ୍କର କୌଣସି ଚିହ୍ନକୁ ଭାରତରେ ବରଦାସ୍ତ କରାଯିବ ନାହିଁ। ତେଣୁ ହିନ୍ଦୁମାନଙ୍କ ଭାବନାକୁ ସମ୍ମାନ ଜଣାଇ ଔରଙ୍ଗଜେବଙ୍କ କବରକୁ ହଟାଇବାକୁ ଭିଏଚ୍ପିର ଦାବି ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାଓ୍ବାର (ଏନ୍ସିପି-ଏସ୍ପି) ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି, ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳ ଦେଶର ଇତିହାସ ସହ ଜଡ଼ିତ। କୌଣସି ରାଜନୈତିକ କିମ୍ବା ଧାର୍ମିକ ସଙ୍ଗଠନ ପକ୍ଷରୁ ଏହା ଉପରେ ବୟାନବାଜି କରାଯିବା ଅନୁଚିତ।
